top of page
c2a047_4e32fb33092f4e16870131db98d3ff81~mv2.avif

ଜିଡ୍ଡୁ କ୍ରିଷ୍ଣମୂର୍ତ୍ତି ... କାହିଁକି ?

ହିସାବ କଲେ ଦେଖାଯାଏ, ଆଜି ଆମେ ନିଜକୁ ଯେଉଁ ଜଣେ ଜଣେ, ଶିକ୍ଷିତ ବ୍ୟକ୍ତି ବିଶେଷ ବୋଲାଉଛୁ, ସଭ୍ଯ ସମାଜରେ ଗଣା ମଣିଷଟିଏ ବୋଲି ଚିହ୍ନୁଛୁ – ଆଜି ଏଇଠି ପହଞ୍ଚିବା ପାଇଁ ଆମେ ଅନେକ ଅନେକ ବର୍ଷର ଅଗଣିତ ଅନୁଭୂତି, ଅଭିଜ୍ଞତାର ଚଲାପଥ ଦେଇ ପାଦେ ପାଦେ ଆଗେଇଛୁ । ବିଜ୍ଞାନ କହେ ଆଧୁନିକ ମଣିଷର ଗଠନ ତତ୍ତ୍ଵ ଆଦିକୁ ମାପ କାଠି ରୂପେ ଧରିଲେ, ଏଇ ଆଧୁନିକ ମଣିଷର ଅତୀତ ଲମ୍ବିଛି ପ୍ରାୟ ତିନି ଲକ୍ଷ ବର୍ଷ ତଳକୁ। ଆଉ ସେଇ କାଳରୁ ପ୍ରତିଦିନ ପ୍ରତିକ୍ଷଣ, ମଣିଷ ଅହରହ ସଂଘର୍ଷ କରି ଚାଲିଛି ନିଜର ଉନ୍ନତି ପାଇଁ, ନିଜେ ଭଲରେ ରହିବା ପାଇଁ, ନିଜର ଦାବୀ ଚାହିଦାକୁ ପୂରଣ କରିବା ପାଇଁ। ନିଜର ଯାବତୀୟ ଅନୁଭୂତି, ଅଭିଜ୍ଞତାକୁ ପାଥେୟ କରି ମଣିଷ ସୃଷ୍ଟି କରିଛି ବିଜ୍ଞାନର ଗନ୍ତାଘର, ଗଢିଛି ସଭ୍ୟତାର ସୌଧ, ଆଉ ଭିତ୍ତି ସ୍ଥାପନା କରିଛି – ଧର୍ମ, ଆଧ୍ୟାତ୍ମିକତାର ପୂଣ୍ୟକ୍ଷେତ୍ର । ତେଣୁ ଆଜିକା ମଣିଷର ଅନ୍ତଃକରଣରେ ବୀଜ ସଦୃଶ ସ୍ଥାନ ପାଇଛି ତମାମ ବିଜ୍ଞାନ, ଯୁଗଯୁଗର ସଭ୍ୟତା ସଂସ୍କୃତି, ପୁଣି ଧର୍ମ, ଦର୍ଶନ, ଅଧ୍ୟାତ୍ମିକତାର ଅଣୁ କଣା । ଆମେ ଆଜି ପୃଥିବୀର ଯେଉଁ ସ୍ଥାନରେ ଥାଉ ନା କାହିଁକି, ଯେତିକି ବି ଶିକ୍ଷା ପାଇଥାଉ ନା କାହିଁକି, ସମାଜରେ ଛୋଟ ବଡ଼ ହୋଇ ଯେମିତି ବି ପ୍ରତିଷ୍ଠା ଲାଭ କରିଥାଉ ନା କାହିଁକି – ମୂଳ ମଞ୍ଜ ହିସାବରେ ଆମେ ହେଉଛୁ ସେହି ମଣିଷ, ସେହି ମଣିଷ ଜାତି, ଯିଏ କି ପ୍ରାୟତଃ ତିନି ଲକ୍ଷ ବର୍ଷର ଯାତ୍ରାକୁ ନିଜ ରକ୍ତରେ ଉଜ୍ଜୀବିତ କରି ରଖିଛି । ଯୁଗ ଯୁଗ ଧରି ଚିନ୍ତାଶକ୍ତିର ପରାକାଷ୍ଠା ଦେଖାଇବାକୁ କାହିଁ କେତେ ଚିନ୍ତକ, ଦାର୍ଶିନିକ, ଆଧ୍ୟାତ୍ମିକ ଗୁରୁପ୍ରବର ଏ ପୃଥିବୀରେ ଜନ୍ମ ନେଇଛନ୍ତି । ମଣିଷକୁ ହିଂସା ବାଦର ଊର୍ଦ୍ଧ୍ଵରେ ରହି, ବାଦ ବିବାଦ ବିଭାଜନର ଅନ୍ତ ଘଟାଇ ଏକତ୍ର ଶାନ୍ତିରେ ରହିବାର ଉତ୍ସାହ ଦେଖାଇ ଯାଇଛନ୍ତି । ପାଳିକୁ ପାଳି କରି ସେମାନେ ବି ବିଦାୟ ନେଇଛନ୍ତି । ଧର୍ମ ପରେ ଧର୍ମ ବିତିଯାଇଛି । ହେଲେ ଧର୍ମସତ୍ତାର କର୍ପୂର ଉଡିଯାଇଛି – ଧର୍ମ ନାଆଁରେ କନା ଖଣ୍ଡିକ ଯାହା ପଡ଼ିରହିଛି। ଦେଶ ଦେଶ ଭିତରେ ଯୁଦ୍ଧ, ଦେଶ ଭିତରେ ଆଭ୍ୟନ୍ତରୀଣ ମାରପିଟ, ବ୍ୟକ୍ତି ବ୍ୟକ୍ତି ଭିତରେ ଅସହିଷ୍ଣୁତା, ପ୍ରତିଯୋଗିତା, ଅକ୍ତିଆର ପଣିଆ ଆଗରେ ଆଜି ଧର୍ମ, ଦର୍ଶନ, ଅଧ୍ୟାତ୍ମିକତା – ସବୁକିଛି ହାର ମାନିଛି। ତିନି ଲକ୍ଷ ବର୍ଷର ମଣିଷ ଅସ୍ତିତ୍ଵ ଆଜି ଛିଡ଼ା ହୋଇଛି କେବଳ ଗୋଟିଏ ନୂଆ ପରିଚୟ ନେଇ ସେଇଟି ହେଲା – ଅଂଶିତର ପରିଚୟ । ସେ ପରିଚୟ ପ୍ରତ୍ଯେକ ମଣିଷକୁ ଅନ୍ୟ ଏକ ମଣିଷଠାରୁ ସର୍ବମତେ ଭିନ୍ନ ବୋଲି ଜାହିର କରୁଛି । ଆଉ ସେହି ଭିନ୍ନତା ହିଁ ସକଳ ଯୁଦ୍ଧ, ଦଙ୍ଗାର କାରଣ ସାଜିଛି । ଏ କ୍ଷେତ୍ରରେ, ଜଣେ ସାଧାରଣ ଭାବେ ପଢା ଶୁଣା କରିଥିବା ମଣିଷର କର୍ତ୍ତବ୍ୟ କଅଣ? ନିଜେ ତଥା ନିଜ ପିଲାପିଲିଙ୍କ ଭବିଷ୍ୟତ ନେଇ ପ୍ରକୃତରେ ଚିନ୍ତା କରିପାରୁଥିବା ମଣିଷର କର୍ତ୍ତବ୍ୟ କଅଣ? ଏ ପୃଥିବୀ, ଏ ଜନ ସମାଜ ତିଳେ ତିଳେ ହୋଇ ଧ୍ୱଂସ ହେଉଥିବାର ଦେଖି ତା ପ୍ରତି ମଣିଷର କର୍ତ୍ତବ୍ୟ କଅଣ ? ଏଭଳି ନିବିଡ଼ ପ୍ରଶ୍ନ ଆଗରେ ଜିଡ୍ଡୁ କ୍ରିଷ୍ଣମୂର୍ତ୍ତି – ବା, ସଂକ୍ଷେପରେ କ୍ରିଷ୍ଣମୂର୍ତ୍ତିଙ୍କର – ଶିକ୍ଷା ଏକ ବିଶେଷ ତାତ୍ପର୍ଯ୍ୟ ଲାଭ କରିଥାଏ। ସାଧାରଣତଃ, ପ୍ରଶ୍ନଟିଏ ମନରେ ଉଠିଲେ, ତା’ର ଉତ୍ତର ଗୋଟିକ ପାଇବା ଲାଗି ମନ ବ୍ୟାକୁଳ ହୋଇଉଠେ। ଏବଂ, ଯୋଉ ପ୍ରକାରେ ବି ହେଲେ ଉତ୍ତରଟି ମନକୁ ଘେନିଗଲେ, ଆମେ ସନ୍ତୋଷ ପାଇଯାଉ। ସେଇ ମନ ଘେନା ଉତ୍ତରକୁ କାନୀରେ ବାନ୍ଧି, ‘ଆମେ ଜାଣିଛୁ’ କହି ଚୁପ୍ ଚାପ୍ ବସିଯାଉ। କିନ୍ତୁ ପ୍ରଶ୍ନଟିର ଉତ୍ତର ଜାଣିଯିବା ଦ୍ଵାରା କ’ଣ ସମସ୍ଯାର ସମାଧାନ ହୋଇଯାଏ କି? ଯଥା, ଯୁଦ୍ଧର କାରଣ ଓ ତାର ପରିଣାମ ବିଷୟରେ ତ’ ସଂସାରରେ ଛୋଟ ବଡ଼ ସମସ୍ତେ ଜାଣନ୍ତି। ତଥାପି ଏ ଯୁଦ୍ଧ ପୃଥିବୀରୁ ବିଦା ହୋଇ ନାହିଁ କାହିଁକି? ସେମିତି, ଲୋଭ, କ୍ରୋଧ, ରଶ୍ରୀକାତରତାର କାରଣ ଓ ଫଳାଫଳ ବିଷୟରେ ଆମେ ସମସ୍ତେ ଜାଣୁ। ତଥାପି ସେହିସବୁ ଗୁଣ ଆଦି ମଣିଷ ହୃଦୟରୁ ଲିଭି ନାହିଁ କାହିଁକି? ଏହି କ୍ଷେତ୍ରରେ କ୍ରିଷ୍ଣମୂର୍ତ୍ତିଙ୍କ ଶିକ୍ଷା ମଣିଷ ମନରେ ଏକ ନୂତନ ଆଭିମୁଖ୍ୟ ଖୋଲି ଦିଏ। ଜୀବନର ଯାବତୀୟ ସମସ୍ଯା ନେଇ ସେ ପ୍ରକାର ଆଭିମୁଖ୍ୟ ହୁଏତ କୌଣସି ଦର୍ଶନଶାସ୍ତ୍ର, ଆଧ୍ୟାତ୍ମିକ ଗ୍ରନ୍ଥ, ବା ଧର୍ମୋପଦେଶର ସଂହିତାରେ ସ୍ଥାନ ପାଇନାହିଁ। ଆଉ ଯଦି ବା କେଉଁଠି ସ୍ଥାନ ପାଇଛି, ତାର ସମୁଚିତ ବ୍ୟାଖ୍ୟା ହୋଇ ପାରିନାହିଁ । ମଣିଷ ପାଇଁ ତାହା ଚିରକାଳ ଭାଷାଶବ୍ଦରେ ବନ୍ଧା ଅବୋଧ ଜ୍ଞାନ ହୋଇ ରହିଯାଇଛି। ଅନ୍ୟ ପକ୍ଷରେ, କ୍ରିଷ୍ଣମୂର୍ତ୍ତିଙ୍କ ଶିକ୍ଷା ସମୂହ ଜନତାର ପଠନ ଉଦ୍ଦେଶ୍ୟରେ ବ୍ୟକ୍ତ ହୋଇଛି। ସହଜ, ସରଳ ଭାଷାଶବ୍ଦକୁ ଆଧାର କରି ଏ ଶିକ୍ଷା ସବୁ ଇଂରାଜୀରେ ସଂଗୃହୀତ ଅଟେ। ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ଲବ୍ଧ ପ୍ରତିଷ୍ଠ ରଚୟିତାଙ୍କ ଦ୍ବାରା ଏହି ପୁସ୍ତକସବୁ ଇଂରାଜୀରୁ ଓଡ଼ିଆରେ ଅନୁବାଦିତ ହୋଇଛି। ଏହା ମୁକ୍ତ ଅନୁବାଦ ନୁହେଁ ବା ଅନୁବାଦକମାନଙ୍କର କୌଣସି ବି ବ୍ୟାଖ୍ୟା, ନିଜସ୍ବ ମତାମତ ଏଥିରେ ଆଦୌ ସ୍ଥାନ ପାଇ ନାହିଁ। ବରଂ କ୍ରିଷ୍ଣମୂର୍ତ୍ତିଙ୍କର ଶିକ୍ଷାର ମୌଳିକତାକୁ ଅତି ଯତ୍ନ ସହକାରେ ସମ୍ଭାଳି, ଅନୁବାଦକମାନେ ପାରୁପର୍ଯ୍ୟନ୍ତେ ସେ ଶିକ୍ଷାକୁ ଅକ୍ଷତ ରଖିବାକୁ ପ୍ରୟାସ କରିଛନ୍ତି। ଏବେ ହୁଏତ ପ୍ରଶ୍ନ ଉଠିବ, କ୍ରିଷ୍ଣମୂର୍ତ୍ତିଙ୍କର ଶିକ୍ଷାର ଅନବଦ୍ୟତା କେଉଁଠି? ଏହାର ସ୍ଵତନ୍ତ୍ରତା କଅଣ? କ୍ରିଷ୍ଣମୂର୍ତ୍ତିଙ୍କୁ ଯେଉଁ ‘ଜଗତଗୁରୁ’ ଆଖ୍ୟା ଦିଆଯାଇଛି, ସେହି ଜଗତଗୁରୁ ମାନବ ଜଗତ ପାଇଁ କେଉଁ ଅଭୂତପୂର୍ବ ଶିକ୍ଷା ପ୍ରଦାନ କରିଛନ୍ତି? ପ୍ରଥମତଃ, କ୍ରିଷ୍ଣମୂର୍ତ୍ତିଙ୍କ ଶିକ୍ଷା କୌଣସି ଧର୍ମ ଦ୍ବାରା ଅନୁପ୍ରାଣିତ ନୁହେଁ। କୌଣସି ଦର୍ଶନ ଶାସ୍ତ୍ରର ଆଧାରରେ ମଧ୍ୟ ତାଙ୍କ ଶିକ୍ଷା ଜନ୍ମଲାଭ କରି ନହିଁ। ଆଉ ସବୁଠାରୁ ବଡ଼ କଥା ହେଲା, ସେ ବିତରଣ କରିଯାଇଥିବା ଶିକ୍ଷାକୁ ସେ ବସି ଭାବି, ଚିନ୍ତା କରି ଓ ଭାବନକୁ ସଂଗଠନ ନାହାନ୍ତି। ଯଦିଓ ଶିକ୍ଷାକୁ ପ୍ରକାଶ କରିବାକୁ ଯାଇ ସେ ଭାଷା ଓ ଶବ୍ଦର ସାହାଯ୍ୟ ନେଇଛନ୍ତି, କିନ୍ତୁ ଶିକ୍ଷାର ସାରବତ୍ତା ମାନସିକ ଚିନ୍ତା ବା ଭାବନାର ପରିସରଭୁକ୍ତ ନୁହେଁ। ତେଣୁ ଏହାର ଏଭଳି କିଛି ଗୁଣବତ୍ତା ରହିଛି, ଯାହା କି ତତକ୍ଷଣିକ ଭାବରେ ପଢୁଥିବା ବ୍ୟକ୍ତିର ଚେତନା ସ୍ତରକୁ ଫଟାଇ ତା’ର ଅନ୍ତରତମ ହୃଦବୋଧତାକୁ ଛୁଇଁ ଯାଇ ପାରିବ। ଥରେ ଏ ଶିକ୍ଷାର ବୀଜ ମଣିଷର ମାନସିକ ଚେତନାର ଉର୍ଦ୍ଧ୍ବକୁ ଯାଇ ସଞ୍ଚାରୀ ପାରିଲେ ତାହା ମଣିଷର ଚେତନାରେ ଅଙ୍କୁରିତ ହେବ ନିଶ୍ଚୟ। ତାହା ଚେତନାରେ ଆଣିଦେବ ଅଭୂତପୂର୍ବ ରୂପାନ୍ତର। ଦ୍ଵିତୀୟତଃ, କ୍ରିଷ୍ଣମୂର୍ତ୍ତିଙ୍କର ଶିକ୍ଷା ମଣିଷ ଚେତନାକୁ ବିସ୍ତାରିତ ବା ପ୍ରସାରିତ କରିବା ବଦଳରେ ଚେତନାର କାନ୍ଥକୁ ଦୋହଲାଇ ଦିଏ। ଫଳରେ ଚେତନାରେ ବସା ବାନ୍ଧିଥିବା ଯୁଗ ଯୁଗର ଅଜସ୍ର ଅଭ୍ୟାସବଶତା, ସ୍ଥିତିବଦ୍ଧତାର (conditioning) ଗଣ୍ଠି ମିଳେଇଯିବାରେ ଲାଗେ। ଯୋଉ ଅଭ୍ୟାସବଶତାର ବାରମ୍ବାର ଅମନଯୋଗୀ ବ୍ୟବହାର ଯୋଗୁ ମଣିଷ ମନରେ ଭୟ, କ୍ରୋଧ, ଭ, ଅକ୍ତିଆରପଣ ଆଦି ବାରମ୍ବାର ପ୍ରକାଶିତ ହେଉଛି, ଓ ତା ବଳରେ ନାନାଦି ସାମାଜିକ ସମସ୍ଯା ଏ ଦୁନିଆର ପିଛା ଛାଡ଼ୁନାହିଁ – ସେହି ଅଭ୍ୟାସବଶତାକୁ ହାତରେ ଆଡ଼େଇ ନ ଦେଇ, ତାକୁ ମନ୍ଦ ବୋଲି କହି ତା’ ସହ ସଂଘର୍ଷ ନ କରି – ପ୍ରଚୁର ସମ୍ବେଦନାର ସହ ତାକୁ ହୃଦୟଙ୍ଗମ କରିବା ଏ ଶିକ୍ଷାର ଏକ ଆହ୍ବାନ। କାରଣ, ଲକ୍ଷ୍ଯ କରି ସମଗ୍ର ଭାବରେ କିଛିକୁ ହୃଦୟଙ୍ଗମ କରିବା ଦ୍ଵାରା ତା’ର ସତ୍ୟାସତ୍ୟ ଉନ୍ମୋଚିତ ହୋଇଥାଏ। ଏବଂ କେବଳ ସହ୍ୟ ସତ୍ୟାସତ୍ୟ ହିଁ ମନର ମାୟାକୁ ଆମୂଳ ଭାବରେ ଦୂର କରିବାକୁ ସମର୍ଥ ହୋଇଥାଏ। ତୃତୀୟତଃ, କ୍ରିଷ୍ଣମୂର୍ତ୍ତିଙ୍କର ଶିକ୍ଷା କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା, ମନୋଭାବ ସମ୍ପନ୍ନତା, ବା ଶିକ୍ଷିତ-ଅଶିକ୍ଷିତ ମାପକାଠିର ତାରତମ୍ୟକୁ ନେଇ ନୁହେଁ। ଅବଶ୍ୟ ପ୍ରକାଶକମାନେ ତାକୁ ସଂକଳନ କଲାବେଳେ ଦୃଷ୍ଟି ଦେଇଛନ୍ତି ଯେ ଭାଷାର ସରଳତା ବା ବୋଧଗମ୍ୟତାକୁ ନେଇ ତାହା ବିଭିନ୍ନ ପୁସ୍ତକର ପରିସରରେ ସ୍ଥାନ ପାଇଛି। ଯଥା – ରାଜଘାଟ ସ୍କୁଲର ପିଲାମାନଙ୍କ ସହିତ ହୋଇଥିବା କଥାଭାଷା – ସ୍ଥାନ ପାଇଛି। ସେମିତି ସାଧାରଣିଆ ଲୋକବାକଙ୍କର ଦୈନନ୍ଦିନ ସମସ୍ଯା ନେଇ ଆଲୋଚନାମାନ ପ୍ରକାଶିତ ହୋଇଛି “ଜୀବନ ଚର୍ଚ୍ଚା” ନାମକ ତିନୋଟି ଭାଗ ବିଶିଷ୍ଟ ପୁସ୍ତକରେ। ଆଉ ଅନ୍ୟାନ୍ୟ ସମସ୍ଯା ଉପରେ ଗମ୍ଭୀର ଆଲୋଚନା ପ୍ରକାଶିତ ହୋଇଛି। - “ଅସମ୍ଭବ ପ୍ରଶ୍ନ“ ପୁସ୍ତକରେ। ଯଦିଓ ଏ ବହି ସବୁର ନାଆଁ ଭିନ୍ନ ଭିନ୍ନ, ଏବଂ ତା’ର ବିଷୟ ବସ୍ତୁ ବିବିଧ, ପ୍ରକୃତରେ ସବୁ ଶିକ୍ଷାର କେନ୍ଦ୍ରରେ ଉପସ୍ଥିତ – ମଣିଷ। ସେ ମଣିଷ ହେଉଛି ଆପଣ ନିଜେ – ଶ୍ରୋତା ବା ପାଠକ ନିଜେ। ଧନୀ-ଗରିବ, ଶିକ୍ଷିତ-ଶ୍ରୀଅକ୍ଷର ବି- ର୍ଜିତ, ମାଲିକ-ଭୃତ୍ୟ ବା ପୂଜାମନଧାରୀ – ହେତୁବାଦୀ ନିର୍ବିଶେଷରେ ପ୍ରତ୍ଯେକ ମଣିଷ ଯେ ପ୍ରକୃତରେ ସମାନ – ବାସ୍ତବରେ, ଅଭିନ୍ନ ଚେତନ ଧାରୀ – ସେଇ ଦ୍ବୋଧତା କ୍ରିଷ୍ଣମୂର୍ତ୍ତି ଶିକ୍ଷାର ଏକ ବିଶେଷ ଉନ୍ମୋଚନ। ମଣିଷର ସବୁଠାରୁ ଅଧିକ ବହୃତ ଇନ୍ଦ୍ରିୟଜ୍ଞାନ – ‘ଦେଖିବା’ (looking) ଓ ‘ଶୁଣିବା’ (listening) ଉପରେ ନେକ ଗୁରୁତ୍ଵ ଦିଆଯାଇଛି ସେ ଶିକ୍ଷାରେ। ତା’ ଛଡ଼ା ଭାବନା ଯେ ମନସ୍ତାତ୍ତ୍ଵିକ ବରେ ସମୟର ପ୍ରହେଳିକା ଜାତ କରାଇ ଦୁଃଖକୁ ଜୀବନ ପରିସର ଭିତରକୁ ଣିଆଣେ, ତାହାର ସତ୍ୟାସତ୍ୟ ଉପରେ ଆଲୋକପାତ ମଧ୍ୟ ହୋଇଛି। ସର୍ବୋପରି, ବଞ୍ଚିବାର – ମାନସିକତଃ ଦିବ୍ୟମୁକ୍ତିର ସହ ବଞ୍ଚିବାର ଉପଦେୟତା କ୍ରିଷ୍ଣମୂର୍ତ୍ତିଙ୍କ ଶିକ୍ଷାର ଏକ ମୂଳ ପ୍ରସଙ୍ଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ, ପରିଶେଷରେ ଅନ୍ୟ କୌଣ ସି ବ୍ୟାଖ୍ୟା ବା ଟୀକାକୁ ଆଡେଇ ଦେଇ ଆପଣ ଯଦି ନିଜେ କ୍ରିଷ୍ଣମୂର୍ତ୍ତି ଶିକ୍ଷାର କିଛି ପଢି ପାରିବେ, ତେବେ ତାହା ନିର୍ଝରର ଉତ୍ସରୁ ହିଁ ଶୀତଳ ଜଳ ପାନ କରିବା ସମ ହେବ। ନିର୍ମଳ, କାଳୁଷତା ବିହୀନ ସେ ସ୍ବଚ୍ଛ ଜଳ ହୁଏତ ମନର କାଳ କାଳରୁ ଜମା ହୋଇଥିବା ଆବିଳତାକୁ ଧୋଇ ଧାଇ ଛାଡିଦେବ। ଥରେ ହେଲେ, ସେ ଶିକ୍ଷାର ମହକ ନିଅନ୍ତୁ।

IMG_20251031_080245.jpg

କ୍ରିଷ୍ଣମୂର୍ତ୍ତି ଫାଉଣ୍ଡେସନ କଟକ ସେଣ୍ଟର

ଏକ ସଂକ୍ଷିପ୍ତ ପରିଚୟ

କ୍ରିଷ୍ଣମୂର୍ତ୍ତି ଫାଉଣ୍ଡେସନ ଭାରତର ବିଭିନ୍ନ ଶାଖା ବା ସେଣ୍ଟର ଭିତରେ କଟକର ଶାଖା ଅନ୍ୟତମ। କାଠଯୋଡି ନଦୀ କୂଳରେ ଅବସ୍ଥିତ ଏହି ଶାଖାର ଇତିହାସ ବେଶ ପୁରୁଣା। ପ୍ରାୟ ଏକଶତ ବର୍ଷ ପୂରାତନ, ଏକଦା ପାରିବାରିକ ବାସଗୃହ ଥିବା ଏହି ସମ୍ପତ୍ତିକୁ ଉକ୍ତ ପରିବାରର କିଛି ଭାଇ ଓ ଭଉଣୀ ମିଶି ଏକ ଆଧ୍ୟାତ୍ମିକ ଅନୁଷ୍ଠାନରେ ପରିବର୍ତ୍ତନ କରିଥିଲେ। ସେମାନଙ୍କର ଆଶା ଓ ଉଦ୍ଦେଶ୍ୟ ଥିଲା ଯେ ଓଡ଼ିଶାରେ ବିଭିନ୍ନ ଧର୍ମାନୁଷ୍ଠାନ ମହଜୁଦ ଥିଲେ ସୁଦ୍ଧା ଓଡ଼ିଶାରେ ରହୁଥିବା ଲୋକମାନଙ୍କ ପାଇଁ ଆଧ୍ୟାତ୍ମିକ ଚିନ୍ତାଧାରାର ବିକାଶ ଘଟାଇବା ଭଳି ଚିନ୍ତନ ଶକ୍ତି ଉପରେ ଆଧାରିତ ଅନୁଷ୍ଠାନ ବିଶେଷ ନ ଥିଲା। ତେଣୁ ୧୯୭୯ ମସିହାରେ ସେଲ୍ଫ ଏଡୁକେଶନ ଟ୍ରସ୍ଟ (Self Education Trust) ନାମରେ ସେଠାରେ ଏକ ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରତିଷ୍ଠିତ ହେଲା। ଏହାର ସ୍ରଷ୍ଟା ଏହି ପରିସରକୁ ଜନତା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତେ ସେଠାରେ ଏଭଳି ଏକ ଅଧୟନ କକ୍ଷ (Study Room) ଓ ପାଠାଗାର (Library) ଆରମ୍ଭ କରିଥିଲେ, ଯେଉଁଥିରେ କି ଆଧ୍ୟାତ୍ମିକ ଜ୍ଞାନ ସମ୍ବଳିତ ଅନେକ ବିରଳ ପୁସ୍ତକ ଗଚ୍ଛିତ ହେଲା। ଏହି ପୁସ୍ତକସବୁ ଇଂଲଣ୍ଡ ପ୍ରଭୃତି ବିଦେଶରୁ ବିଶେଷ କରି ଅଣାଯାଇଥିଲା। ମାତ୍ର ପରବର୍ତ୍ତୀ କାଳରେ ସେଲ୍ଫ ଏଡୁକେଶନ ଟ୍ରସ୍ଟର ସ୍ରଷ୍ଟା ସେହି ଅନୁଷ୍ଠାନକୁ ୨୦୦୩ ମସିହାରେ କ୍ରିଷ୍ଣମୂର୍ତ୍ତି ଫାଉଣ୍ଡେସନ ଇଣ୍ଡିଆ (KFI) କୁ ସମର୍ପଣ କରି ତାକୁ KFI ର ଏକ ଶାଖା ହେବାର ମାନ୍ୟତା ପ୍ରଦାନ କରାଇଥିଲେ।

 

ଏକ ସ୍ବାଧୀନ ଆଧ୍ୟାତ୍ମିକ ଅନୁଷ୍ଠାନ ବଦଳରେ ଏକୁ KFI ସହିତ ଏକକାର କରିବାର କାରଣ ଥିଲା ଯେ, ସେହି ସ୍ରଷ୍ଟା ଓ ତାଙ୍କର ସହକର୍ମୀମାନେ ଦୃଢ ଭାବରେ ବିଶ୍ବାସ କରୁଥିଲେ – ଜିଡ୍ଡୁ କ୍ରିଷ୍ଣମୂର୍ତ୍ତି ହିଁ ଚଳିତ ପିଢୀର ଜଗଦଗୁରୁ। ତାଙ୍କ ଶିକ୍ଷାକୁ ଅନୁଧ୍ୟାନ କରିବା ଦ୍ବାରା ମଣିଷ ଜାତିର ଚେତନା ସ୍ତରରେ ଯେଉଁ ବିପ୍ଲବର ସମ୍ଭାବନା ଦେଖାଦେବ, ତାହା ହିଁ ହେବ ମୁକ୍ତିର ପ୍ରକୃତ ପରିଚୟ – ଜୀବନ୍ମୁକ୍ତିର ଅୟମାରମ୍ଭ।

 

୨୦୦୩ ମସିହାରୁ ଅଜିଯାକେ ଉକ୍ତ ଅନୁଷ୍ଠାନ ନିଜର ସମଗ୍ର ସତ୍ତା ଦେଇ କ୍ରିଷ୍ଣମୂର୍ତ୍ତିଙ୍କ ଶିକ୍ଷାର ସମ୍ପ୍ରସାରଣ ଦିଗରେ ବ୍ରତୀ।

ଓଡ଼ିଆ ଇ-ପୁସ୍ତକ

କୃଷ୍ଣମୂର୍ତ୍ତି ପୁସ୍ତକ (ଅନୁବାଦ ସମେତ) ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିଛି। ବର୍ତ୍ତମାନ, K ପୁସ୍ତକଗୁଡ଼ିକର ଡିଜିଟାଇଜଡ୍ ଓଡ଼ିଆ ଅନୁବାଦ ଏବଂ ସେଗୁଡ଼ିକୁ ମାଗଣାରେ ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯାଉଛି।

bottom of page